Hot Posts

6/recent/ticker-posts

୧୧ ବର୍ଷର ଅପେକ୍ଷା ପରେ ନିଲଡୁଙ୍ଗୁରୀ ବୃହତ୍‌ ମାର୍କେଟ ଟର୍ମିନାଲ ପାଇଁ ଆଶା ଜଗାଇଲେ ଡ. ଅରବିନ୍ଦ ପାଢ଼ୀ

ସମ୍ବଲପୁର, ୧୯ / ୪ : ୧୧ ବର୍ଷ ଧରି ଅଧୂରା ରହିଥିବା ବୃହତ୍‌ ମାର୍କେଟ ଟର୍ମିନାଲ ପ୍ରକଳ୍ପ ପୁଣିଥରେ ଆଶାର ଆଲୋକ ଜଗାଇଛି। ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ଅନ୍ତର୍ଗତ ନିଲଡୁଙ୍ଗୁରୀ ଗ୍ରାମରେ ରାଜ୍ୟ ସରକାର ପକ୍ଷରୁ ୨୦୧୪ରେ ଘୋଷିତ ଏହି ବୃହତ୍‌ ଟର୍ମିନାଲ ପାଇଁ ତେବେ ଶିଳାନ୍ୟାସ ହେଲେ ମଧ୍ୟ ପ୍ରକଳ୍ପ ପାଇଁ କୌଣସି ଦୃଶ୍ୟମାନ ପଦକ୍ଷେପ ହୋଇନଥିଲା। ତେବେ ଆସନ୍ତା ୨୦ ତାରିଖରେ ରାଜ୍ୟର କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ନିଲଡୁଙ୍ଗୁରୀ ଗସ୍ତ ତାଲିକାରେ ରହିଛି। ସେ ଏହି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ବ୍ୟବସ୍ଥା ନେବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।୬୦ ଏକର ଜମିରେ ପିପିପି ମୋଡ୍‌ରେ ନିର୍ମାଣ ପାଇଁ ନିର୍ଦ୍ଦିଷ୍ଟ ଏହି ଟର୍ମିନାଲ କୃଷକ ଉତ୍ପାଦ ରପ୍ତାନି, ବଜାରକରଣ, ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସହ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ଉପକୃତ କରିପାରିବା ଦାବି କରାଯାଇଥିଲା। ୨୦୧୪ ସେପ୍ଟେମ୍ବର ୨୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଏହି ଯୋଜନା ଏପର୍ଯ୍ୟନ୍ତ ଆରମ୍ଭ ନହେବାରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ସମୟରେ ସରକାରକୁ ଘେରିଥିଲେ। ତେବେ ଏବେ ଯେପରି ବରିଷ୍ଠ ଅଧିକାରୀଙ୍କ ପରିଦର୍ଶନ ଘଟିବାକୁ ଯାଉଛି, ତାହା ଏହି ଆଖିଅପେଖା ପ୍ରକଳ୍ପକୁ ନୂଆ ଗତି ଦେଇପାରିବ ବୋଲି ଚାଷୀମାନେ ଆଶା କରୁଛନ୍ତି।ନିଲଡୁଙ୍ଗୁରୀରେ ଥିବା ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରରେ ମଧ୍ୟ ଡ. ପାଢ଼ୀ ଗସ୍ତ କରି, ଅଞ୍ଚଳରେ କୃଷି ଉନ୍ନତି ପାଇଁ ନୂଆ ପଦକ୍ଷେପ ନେଇପାରିବେ ବୋଲି ଅନୁମାନ କରାଯାଉଛି।