Hot Posts

6/recent/ticker-posts

ଝାଡେଶ୍ୱର ଜଙ୍ଗଲରେ ବଣ୍ୟପ୍ରାଣୀ ଶିକାର ଚେଷ୍ଟା: ଦୁଇ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ଗନପାଉଡର ଜବତ


ଦେବଗଡ, ୧୭ / ୪ : ପ୍ରସ୍ତାବିତ ସଂରକ୍ଷିତ ଝାଡେଶ୍ୱର ଜଙ୍ଗଲ ଏବେ ଶିକାରୀମାନେ ଆବାଘାତ କରୁଥିବା ଏକ ଗୁରୁତର ମଞ୍ଚ ହୋଇଯାଇଛି। ବନ୍ୟଜନ୍ତୁ ଶିକାର ଉଦ୍ୟମ ବିଫଳ କରି ଦେବଗଡ ବନ ବିଭାଗ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଦେଓଝରଣ ଗ୍ରାମ ନିକଟସ୍ଥ ଝାଡେଶ୍ୱର ପିଆରଏଫ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର କରିବାକୁ ପ୍ରବେଶ କରିଥିବା ଦୁଇ ଶିକାରୀ — ମନୋଜ ପ୍ରଧାନ (ପିତା: ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନ) ଓ ପ୍ରେମାନନ୍ଦ ସାହୁ (ପିତା: ସ୍ବର୍ଗତ ଅରୁଣ ସାହୁ) କୁ ବନ କର୍ମଚାରୀମାନେ ସଦଳବଳେ ଅଭିଯାନ ଚଲାଇ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଜବତ ହୋଇଛି ଦୁଇଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଓ ଗନ ପାଉଡର। ବନ ବିଭାଗ ଗୁପ୍ତ ସୂତ୍ରରୁ ସୂଚନା ମିଳିବା ପରେ ଯାଞ୍ଚ କରି ଏହି ଶିକାରୀ ଦ୍ୱୟଙ୍କୁ ଝାଡେଶ୍ୱର ଜଙ୍ଗଲ ମଧ୍ୟରୁ ଧରାପକଡ କରାଯାଇଥିଲା। ବନ ବିଭାଗ କାର୍ଯ୍ୟାଳୟରେ ପଚରାଉଚରା କାଳେ ସେମାନେ ଶିକାର ଉଦ୍ଦେଶ୍ୟରେ ଯାଇଥିବା ଦାବିକୁ ସ୍ବୀକାର କରିଥିଲେ। ଏହା ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଆର୍ମ ଆକ୍ଟ ଅନୁଯାୟୀ ସେମାନଙ୍କ ଉପରେ ମାମଲା ରଜି ହୋଇଛି।

ଏ ସମ୍ପର୍କରେ ଅତିରିକ୍ତ ବନ ସଂରକ୍ଷିକା ସ୍ୱାଧିନତା ସାହାଣୀ କହିଛନ୍ତି:

“ଏହି ଅଞ୍ଚଳର ଜଙ୍ଗଲ ଏବେ ବିଭିନ୍ନ ବଣ୍ୟପ୍ରାଣୀ ପାଇଁ ଆଶ୍ରୟ ସ୍ଥଳ ହେଉଥିବାରୁ, ଏପରି ଅବୈଧ କାର୍ଯ୍ୟ ବିରୋଧରେ ଆମେ କଠୋର ପଦକ୍ଷେପ ନେବାକୁ ବଦ୍ଧପରିକର। ଏହି ଅଭିଯାନ ତାହାର ଉଦାହରଣ।”

ବନ୍ୟଜନ୍ତୁ ଶିକାର କେବଳ ପ୍ରକୃତି ଉପରେ ନୁହେଁ, ଦେଶର ଜୈବ ବିବିଧତା ଉପରେ ମଧ୍ୟ ଆଘାତ। ବନ ବିଭାଗ ଏବଂ ସମ୍ପୃକ୍ତ ଅଧିକାରୀମାନେ ଯଦି ଏପରି କାର୍ଯ୍ୟ ନେଇ ସତର୍କ ଓ କଠୋର ହେବେ, ତେବେ ଏକ ନିରାପଦ ପ୍ରାକୃତିକ ପରିବେଶ ଗଢିପାରିବ। ଜଙ୍ଗଲ ରହିଲେ ଜୀବନ ରହିବ — ଏହି ଶିକ୍ଷା ପ୍ରତିଟି ନାଗରିକ ମନେ ରଖିବା ଦରକାର।