ବରଗଡ଼, ୧୨/୪ : – ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳରେ ଗତ ଫେବୃୟାର ୨୬ରେ ଘଟିଥିବା ଦୁଃଖଦ ଘଟଣା ଏବେ ଜଣେ ୧୨ ବର୍ଷିୟ ଶିଶୁ ପ୍ରତ୍ୟୁଷଙ୍କ ମୃତ୍ୟୁ ସହ ଆଉ ଗଭୀର ରୂପ ନେଇଛି। ଏହି ଘଟଣା ଏବେ ଜନସାଧାରଣ ଙ୍କ ମଧ୍ୟରେ କ୍ଷୋଭ ଓ ଆକ୍ରୋଶ ଜଗାଇଛି। ପ୍ରତ୍ୟୁଷ ସେ ଦିନ ନିକଟସ୍ଥ ଝାଇଁଯୋର ଘାଟିକୁ ଗାଧୋଇବା ପାଇଁ ସାଇକେଲ ଯୋଗେ ଯାଉଥିଲେ। ରାସ୍ତାକଢ଼ାରେ ରାଇସମିଲରୁ ତ୍ୟାଗିତ ଅତ୍ୟନ୍ତ ଉତ୍ତପ୍ତ ପାଉଁଶ ଗୁଣ୍ଡ ଉପରେ ପଡି ଯିବାରେ ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୁର୍ଲା ହସ୍ପିଟାଲ ଏବଂ ପରେ ଗତ ୯ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଦୁଃଖଜନକ ଭାବରେ ଚିକିତ୍ସା ବେଳେ ସେନିଜ ଜୀବନ ରୁ ହାରିଗଲେ।ଘଟଣା ପରେ ଏହା ସ୍ପଷ୍ଟ ହେଉଛି ଯେ, ଏମିତି ଜଣେ ଶିଶୁଙ୍କ ପ୍ରତି ଘଟିଥିବା ଦୁଃଖଦ ଦୁର୍ଘଟଣା ଉପରେ ରାଇସମିଲ ମାଲିକଙ୍କ ଅବହେଳା ଓ ପ୍ରଦୁଷଣ ନିୟମ ଉଲ୍ଲଂଘନ ନେଇ ଉଚିତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର। କିନ୍ତୁ ବଦଳରେ କିଛି ଅସାଧୁ ବ୍ୟକ୍ତି ତାଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।ଏହି ଘଟଣା ମାନବିକତାକୁ ଆଘାତ କରିଛି। ଅନେକ ଅଭିଭାବକ ଏଭଳି ଅବ୍ୟବସ୍ଥିତ ଶିଳ୍ପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସମ୍ପୃକ୍ତ ପ୍ରଶାସନ ଓ ଆଇନ ବିଭାଗ ଦ୍ୱାରା ଏହି ମାମଲାରେ ନିଷ୍ପକ୍ଷ ତଦନ୍ତ ଓ ନ୍ୟାୟସଙ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଆଶା କରାଯାଉଛି।