ପାଟଣା, ୧୩/୪ : – କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକରେ ଚୋରା ମଦ କାରବାର ନେଇ ନୂତନ ଏକ ଖୁଲାସା ଚିନ୍ତାରେ ପକାଇଛି ସ୍ଥାନୀୟ ଅଞ୍ଚଳକୁ। ଏହିଥର ଭିଡିଓ ଭାଇରାଲ ହୋଇଛି ଯାହାରେ ଦେଖିବାକୁ ମିଳିଛି ଜଣେ ବର୍ତ୍ତମାନ ରାଜନୈତିକ ଓ ଗ୍ରାମ ଶ୍ରେଣୀର ଜନପ୍ରତିନିଧି, ଯିଏ ନିଜ ଦୋକାନରେ ବିଦେଶୀ ଚୋରା ମଦ ବିକ୍ରି କରୁଛନ୍ତି। ଭିଡିଓ ଅନୁଯାୟୀ, ଏହି ମହିଳା ହେଲେ ପାଟଣା ବ୍ଲକର ଏରେଣ୍ଡେଇ ପଞ୍ଚାୟତ ୭ ନମ୍ବର ୱାର୍ଡର ୱାର୍ଡ ମେମ୍ବର ବିଦ୍ୟୁତ ପ୍ରଭା ବେଜ। ସେ ଏରେଣ୍ଡେଇ ସିଂହ ସାହି ଅଞ୍ଚଳରେ ଅବସ୍ଥିତ ନିଜ ଭେରାଇଟି ଷ୍ଟୋରରେ ଚଢା ଦରରେ ବିଦେଶୀ ମଦ ବିକ୍ରି କରୁଥିବା ସ୍ପଷ୍ଟ ଭାବେ ଦେଖାଯାଉଛି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅଞ୍ଚଳରେ ଚର୍ଚ୍ଚା ବେଶି ପରିମାଣରେ ଜୋରଦାର ହୋଇଛି। ଲୋକମାନେ ପ୍ରଶ୍ନ ଉଠାଇଛନ୍ତି – ଯେଉଁ ବ୍ୟକ୍ତି ଗ୍ରାମର ସେବା ପାଇଁ ଚୟନିତ, ସେ ଯଦି ଅବୈଧ କାରବାରରେ ଲିପ୍ତ ଥାଅନ୍ତି, ତେବେ ଆମ ଅଞ୍ଚଳର ଉନ୍ନତି କିପରି ସମ୍ଭବ? ଏହି ଘଟଣା ଉପରେ ବିଦ୍ୟୁତ ପ୍ରଭା ବେଜଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହା ସହିତ ଅଞ୍ଚଳରେ ଏହି ଅଭିଯୋଗ ମଧ୍ୟ ଚାଲିଛି ଯେ ପାଟଣା ଅବକାରୀ ପୋଲିସ ଚୋରା ମଦ ବ୍ୟବସାୟୀମାନଙ୍କଠାରୁ ମାସିକ ଚାନ୍ଦା ନେଇ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏହାର ଫଳରେ ଅଞ୍ଚଳରେ ଚୋରା ମଦ ବିକ୍ରି ଅବାଧ ଭାବରେ ଚାଲି ଆସୁଛି। ପ୍ରଶ୍ନ ଏହା– ଜନପ୍ରତିନିଧି ଯଦି ନିଜ ଭୂମିକାକୁ ଭୁଲି, ଅବୈଧ କାରବାରରେ ଲିପ୍ତ ହୁଅନ୍ତି, ତେବେ ଜନତା ମାନେ କାହା ଉପରେ ଭରସା କରିବେ? ଏହି ଘଟଣା ଉପରେ ଅନୁସନ୍ଧାନ ଏବଂ ପ୍ରତିକ୍ରିୟା ଦେବା କଥା ଥିବା ଅବକାରୀ ବିଭାଗ କେବେ ଜାଗିବ?