ଭୁବନେଶ୍ୱର, ୧୦/୪ : ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଐତିହାସିକ ଦିନ ଆସିବାକୁ ଯାଉଛି। ଆସନ୍ତା ଏପ୍ରିଲ ୧୧ ତାରିଖରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ସମ୍ପୃକ୍ତ କରି ଏକ ବୃହତ ଯୋଜନା ଶୁଭାରମ୍ଭ ହେବ। ଏହା ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି।
ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ, ଯେଉଁଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନାର ଆଦିଅନ୍ତ ଘୋଷଣା କରିବେ। ସେଙ୍କ ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀମାନେ କନକ ବର୍ଦ୍ଧନ ସଂଦେଓ ଓ ପ୍ରଭାତୀ ପରିଡା, ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ରହିବେ।
ଏହି ଅବସରରେ ୧୪୦୫ ପ୍ରାଥମିକ ଚିକିତ୍ସାଳୟ ମାଧ୍ୟମରେ ଲୋକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ। ଏହା ସହିତ ଏକ ସମାନ୍ତରାଳ କାର୍ଯ୍ୟକ୍ରମ ଭାବରେ ରାଜ୍ୟର ୧୩ ଜିଲ୍ଲାରେ ବିଭିନ୍ନ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଯୋଜନା ଶୁଭାରମ୍ଭ କରାଯିବ।
ଏହି ମଧ୍ୟରେ, କେନ୍ଦ୍ରାପଡାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡରେ ସୁରେଶ ପୂଜାରୀ, ନବରଙ୍ଗପୁରରେ ରବି ନାରାୟଣ ନାଏକ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ଯୋଜନା ବିଷୟରେ ଅବଗତ କରିବେ।
ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାର ଗାଁ ଗାଁ ଲୋକଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ପହଁଚେଇବା ଦିଗରେ ଏକ ମାଇଲସ୍ଟୋନ୍ ବୋଲି ଅଭିମତ ରହିଛି। ଜନତା ପାଇଁ ଏହି ଯୋଜନା ନିଶ୍ଚୟ ଏକ ବଡ଼ ଉପକାର ସାବିତ ହେବ।