ରାୟଗଡ଼ା, ୭/୪ : – ସାମାଜିକ ଶାନ୍ତି ଓ ପରିବାରିକ ସଂସ୍କୃତିକୁ ହାନି କରୁଥିବା ବିଦେଶୀ ମଦ ଦୋକାନ ବିରୋଧରେ ଆଜି ରାୟଗଡ଼ା ସହରର ନ୍ୟୁ କଲୋନୀ ଅଞ୍ଚଳର ମହିଳାମାନେ ସ୍୵ର ଉଠାଇଛନ୍ତି। ଜନବସତି ମଧ୍ୟରେ ଅବସ୍ଥିତ ୨ଟି ମଦ ଦୋକାନ ତୁରନ୍ତ ସ୍ଥାନାନ୍ତର କରାଯିବା ପାଇଁ ସେମାନେ ସୋମବାର ଜିଲାପାଳ ପାରୁଲ ପଟାୱାରିଙ୍କୁ ଦାବିପତ୍ର ଦେଇ ଦୃଢ଼ ଅଭିଯୋଗ ଥାପିଛନ୍ତି।
ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଅଞ୍ଚଳରେ ବହୁ ଶିକ୍ଷାପିଠ, ମନ୍ଦିର ଓ ଗ୍ରାମବାସୀଙ୍କ ଘର ବିଦ୍ୟମାନ ଥିବା ସତ୍ତ୍ୱେ, ସେଠି ଥିବା ମଦ ଦୋକାନ ସକାଳ ୮ ଠାରୁ ରାତି ୧୧ ଯାଏଁ ଖୋଲା ରହୁଥିବାରୁ ଲୋକମାନଙ୍କ ଯାତାୟାତ ବେଳେ ଅନେକ ଅସୁବିଧା ସୃଷ୍ଟି ହେଉଛି। ମଦ ଦୋକାନ ଆଗରେ ଅସାମାଜିକ ତତ୍ତ୍ୱମାନେ ମଦ୍ୟପାନ କରି ଦୁର୍ବ୍ୟବହାର କରୁଥିବା ଦୃଶ୍ୟ ସାଧାରଣ ଘଟଣା ହୋଇଯାଇଛି। ଶିଶୁ ଓ ନାରୀମାନେ ଏହି ପରିସ୍ଥିତିରୁ ଅତି କଷ୍ଟ ଅନୁଭବ କରୁଛନ୍ତି।
ଅଭିଯୋଗକାରୀମାନେ କହିଛନ୍ତି, ଅଞ୍ଚଳରେ ମାଦକ ସେବନର ପରିଣତିରେ ଦୁଇଟି ଲୁଟ ଘଟଣା ମଧ୍ୟ ଘଟିଛି। ସେମାନେ ପୂର୍ବରୁ ଅନେକଥର ଅବକାରୀ ବିଭାଗ ନିକଟରେ ଅଭିଯୋଗ ଦେଲେ ମଧ୍ୟ କୌଣସି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଥିପାଇଁ ଏବେ ଜିଲାପାଳଙ୍କ ହସ୍ତକ୍ଷେପ ଅପେକ୍ଷା କରୁଛନ୍ତି।
ଏହି ଅଭିଯୋଗ ଶୁଣି ପରେ ଜିଲାପାଳ ପଟାୱାରି ଅବକାରୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗଦାତା ମହିଳାମାନଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ସାହୁ, ପ୍ରତିଭା ମିଶ୍ର, କେ. ଦିବ୍ୟଶ୍ରୀ ଓ ଗୌରୀ ଜେନା ଉପସ୍ଥିତ ଥିଲେ।