Hot Posts

6/recent/ticker-posts

କଣ୍ଟାପାଲିରେ ଟ୍ରାନ୍ସଫର୍ମର ଚୋରି ଉପରେ ପ୍ରଶାସନ ଶାନ୍ତ? – ୭ ଦିନ ଧରି ଜଳବିହୀନ ଗ୍ରାମ, ଲୋକମାନେ କହୁଛନ୍ତି “କେଉଁଠି ପ୍ରଶାସନ?”

ଝାରସୁଗୁଡ଼ା, ୧୫ / ୪ :  – ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଗତ ବୁଧବାର ରାତିରେ ଚୋରି ହୋଇଥିବା ଜଳ ଯୋଗାଣ ବିଭାଗର ଟ୍ରାନ୍ସଫର୍ମର ଘଟଣା ପରେ ଏପର୍ଯ୍ୟନ୍ତ ୭ ଦିନ ବିତିଯାଇଥିଲେ ମଧ୍ୟ, ପିଇବା ପାଣି ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନ କରିବାରେ ପ୍ରଶାସନର ନିର୍ଲିପ୍ତତା ଓ ଅସମ୍ବେଦନଶୀଳତା ପ୍ରଶ୍ନରେ ଆସିଛି।

ଗତ ବୁଧବାର ରାତିରେ ଗାଁମୁଣ୍ଡରେ ଥିବା ଟ୍ରାନ୍ସଫର୍ମରକୁ ଚୋରମାନେ ଭାଙ୍ଗି, ସେଠିରେ ଥିବା ମୂଲ୍ୟବାନ ଧାତୁ ଓ ଉପକରଣ ନେଇଯାଇଥିବା ଦେଖି ଗ୍ରାମବାସୀ ଉତ୍ତେଜିତ ହୋଇ ବଡମାଳ ଥାନା ଯାଇଥିଲେ। କିନ୍ତୁ ତାଙ୍କୁ ବିଭିନ୍ନ କାର୍ଯ୍ୟାଳୟର ଚକ୍ରରେ ଘୁରିବାକୁ ପଡ଼ିଥିଲା। ପୋଲିସ କହିଥିଲେ, "ଏହା ସରପଞ୍ଚ ଦେଖନ୍ତୁ", ସରପଞ୍ଚ କହିଥିଲେ, "ଏହି ମାମଲା ବିଦ୍ୟୁତ୍ ବିଭାଗର" – ଏଭଳି ଅନୁତ୍ତରଦାୟିତ୍ୱ ଓ ଅନ୍ୟ ଉପରେ ଦାୟିତ୍ୱ ତାଲମେଳ ଦେବା ଧାରା ପ୍ରଶାସନର ଗଭୀର ଅସମ୍ବେଦନଶୀଳ ମନୋଭାବକୁ ଉଜାଗର କରିଦେଉଛି।

ପ୍ରଚଣ୍ଡ ଖରା ଓ ଗରମ ରେ ସାମାନ୍ୟ ପିଇବା ପାଣି ପାଇଁ ଗ୍ରାମବାସୀ ଏ ଦଫ୍ତରରୁ ସେ ଦଫ୍ତରକୁ ଦୌଡ଼ି ଦୌଡ଼ି କ୍ଲାନ୍ତ ହେଉଛନ୍ତି, କିନ୍ତୁ ମିଳୁନାହିଁ ସ୍ପଷ୍ଟ ଉତ୍ତର। ଗ୍ରାମର ପ୍ରମୁଖ ବ୍ୟକ୍ତିମାନେ ଶରତ ସା, ଅବଧୁତ ପଧାନ, ସଭ୍ୟ ପଟେଲ ଚେତାବନୀ ଦେଇଛନ୍ତି – "ପିଇବା ପାଣି ଯୋଗାଣ ତୁରନ୍ତ ବ୍ୟବସ୍ଥା ନ କଲେ ଆମେ ରାସ୍ତାକୁ ଓହ୍ଲାଇବୁ।"ପ୍ରଶ୍ନ ଉଠୁଛି – ପ୍ରଶାସନ ଏହା ଅଭିଯୋଗ ଭାବେ ନେବ, କି ଆନ୍ଦୋଳନ ହେଲେ  ଜାଗିବ?ଏହି ଘଟଣା ଉପରେ ସରବାହାଲ ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ଭଗବାନ ସାହୁ କହିଛନ୍ତି – "ବଡମାଳ ବିଭାଗର କନିଷ୍ଠ ଯନ୍ତ୍ରୀ ଅଭିଯୋଗ କରିଛନ୍ତି, ଆମେ ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରୁଛୁ।" ଏହି ପ୍ରକାର ଅନ୍ତର୍ଦ୍ଦାୟିତ୍ୱ ବୋଝାଏ ଯେ ପ୍ରଶାସନ ଜନ ସମସ୍ୟାକୁ କେତେ ଲାଘବ ଭାବରେ ନେଉଛି। ଏକ ଟ୍ରାନ୍ସଫର୍ମର ଚୋରି ଯେ ଗାଁ ଉପରେ କେତେ ଭୟଙ୍କର ପ୍ରଭାବ ପକାଇପାରେ – ଏହି ଘଟଣା ତାହାର ସ୍ପଷ୍ଟ ଉଦାହରଣ। ପ୍ରଶାସନକୁ ଏବେ ଜାଗିବାର ସମୟ, ନହେଲେ ଲୋକଙ୍କ ଆସ୍ଥା ତଳକୁ ଗଡ଼ିବ।