ରାଉରକେଲା, ୧୦/୪ : ରାଉରକେଲା ସାଇବର ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ଜାତୀୟ ସହ ଅନ୍ତର୍ଜାତୀୟ ସ୍ତରରେ ସଂଚାଳିତ ହେଉଥିବା ଏକ ଭୟଙ୍କର ସାଇବର ଠକେଇ ଗ୍ୟାଙ୍ଗ୍ର ପର୍ଦାଫାସ କରାଯାଇଛି। ନକଲି ଟ୍ରେଡିଂ ଆପ୍ 'ଟ୍ରେଡ୍ ନାଓ' ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଠକାଯାଉଥିଲା। ଏଥିରେ ସଂଳିପ୍ତ ୯ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।
ଠକେଇ ରାକେଟ୍ର ମାଷ୍ଟରମାଇଣ୍ଡ ଛତିଶଗଡ଼ ରାୟପୁରର କିଶନ ଅଗ୍ରୱାଲ (୨୬) ଓ ତାଙ୍କ ଭାଇ କୁନାଲ ଅଗ୍ରୱାଲ (୨୫)। ସେମାନଙ୍କ ସହିତ ଅନ୍ୟ ଜଣେ ଉତ୍ତରାଖଣ୍ଡର ଅର୍ଜୁନ ସିଂ, ଯଶପୁର, କୋର୍ବା, ବଲୌଦାବଜାର, ଜାଞ୍ଜଗିର-ଚାମ୍ପା ଓ ରାୟଗଡ଼ ଅଞ୍ଚଳର ଅନ୍ୟ ୭ ଯୁବକ ଗିରଫ ହୋଇଛନ୍ତି।
ପୁଲିସ ସୂତ୍ର ଅନୁସାରେ, ଗ୍ୟାଙ୍ଗ୍ଟି ଅନ୍ଲାଇନ୍ ଟ୍ରେଡିଂ ର ନାଁରେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଆର୍ଥିକ ଲାଭ ଦେବା ଆଶା ଦେଇ ଠକି ଆସୁଥିଲେ। ଏଥିପାଇଁ ବ୍ୟବହୃତ ୨୩ଟି ବ୍ୟାଙ୍କ୍ ଆକାଉଣ୍ଟରୁ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି।
ପୁଲିସ ତାଳଚେପିଛି ୫ଟି ଲାପଟପ୍, ୩୧ଟି ମୋବାଇଲ୍, ୬୮ଟି ସିମ୍ କାର୍ଡ, ଏକ ମାରୁତି ସୁଇଫ୍ଟ କାର, ଗୋଟିଏ ସ୍କୁଟର, ବ୍ୟାଙ୍କ ଚେକ୍ ବୁକ୍, ପାସବୁକ୍, ଏଟିଏମ୍ କାର୍ଡ, ଓ ପରିଚୟପତ୍ର।
ଏହି ଘଟଣା ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍ପି ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି। ପାନପୋଷ ଏସଡିପିଓ ଅମ୍ବିତ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।
ଏହି ଗ୍ୟାଙ୍ଗ୍ ବିରୁଦ୍ଧରେ ଦେଶର ବିଭିନ୍ନ ରାଜ୍ୟରେ ୨୭ଟି ମାମଲା ଚାଲିଛି। ପ୍ରଥମେ ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳର ଏକ ଭଡ଼ା ଘରରେ ଥିବା କିଛି ଯୁବକଙ୍କୁ ଅଟକ କରି, ତାଙ୍କ ଜରିଆରେ ଏହି ଗ୍ୟାଙ୍ଗ୍ ଧରାପଡ଼ିଛି।
ଏହି ଅଭିଯାନ ରାଉରକେଲା ପୁଲିସ ପାଇଁ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି, ଏବଂ ସାଇବର ଅପରାଧ ବିରୋଧରେ ସକ୍ରିୟ ପଦକ୍ଷେପ ନେବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟୁଟ ଦୃଢତା ଦେଖାଇଛି।