ବରଗଡ଼,୧୪/୪ : "ଜୀବନସାଥୀ ପାଇଁ ନ ଧନ, ନ ସମ୍ପତ୍ତି—ମାତ୍ର ମନ ଓ ମୂଲ୍ୟବୋଧ ହେଉ ସମ୍ପର୍କର ଆଧାର", ଏହି ମୁଖ୍ୟବାଣୀକୁ ସାକାର କରିବା ଉଦ୍ଦେଶ୍ୟରେ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲରେ ଗତ ଶନିବାର ବିନା ଯାନିଯୌତୁକା ବିବାହ ମାଧ୍ୟମରେ ଏକ ନିଆରା ଓ ଆଦର୍ଶ ଗଣବିବାହ ଆୟୋଜିତ ହୋଇଥିଲା। ୭ ଯୋଡି ବର-କନ୍ୟା ବନ୍ଧିଲେ ସମ୍ପୂର୍ଣ୍ଣ ନିୟମିତ ଓ ସାମ୍ବିଧାନିକ ରୀତିରେ ବିବାହ ବନ୍ଧନରେ, ଯେଉଁଠି ଯୌତୁକ ନ ମାଗାଯାଇଥିଲା, ନ ଦିଆଯାଇଥିଲା। କେବଳ ୨ଟି ଫୁଲମାଳା ମାଧ୍ୟମରେ ସେମାନେ ଜୀବନସାଥୀ ଭାବେ ପରସ୍ପରକୁ ବାଛିନେଇଥିଲେ। ଏହି ଉଦ୍ୟମକୁ ମହାତ୍ମା ଜ୍ୟୋତିରାଓ ପୁଲେଙ୍କ ଜୟନ୍ତୀ ଅବସରରେ ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ଆୟୋଜନ କରିଥିଲା। ଟ୍ରଷ୍ଟର ଅଧ୍ୟକ୍ଷ ରମେଳ ଗୁଣମଣି ସୁନାନୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ଶିଶିର ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆଳ, କୃଷି ଅଧିକାରୀ ଅମିୟ ସାହୁ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଓ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ରହି ବିବାହ ବନ୍ଧନକୁ ଆଶୀର୍ବାଦ କରିଥିଲେ।ବିବାହରେ କନ୍ୟାପକ୍ଷର ଦାୟିତ୍ୱ ନିଭାଇଥିଲେ ସମାଜସେବୀ ହରଦୀପ ସିଂ ଓ କୁଲଦୀପ କୌର, ଓ ବରପକ୍ଷର ଭୂମିକାରେ ଥିଲେ ତା. ଶ୍ରୀହରି ନାଗ ଓ ସଂଯୁକ୍ତା ନାଗ। ସାମ୍ବିଧାନିକ ଧାରାମାନେ ଅନୁଯାୟୀ ଭାବେ ବିବାହ ସଂପନ୍ନ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରୁ ଯାନିଯୌତୁକା ପ୍ରଥାକୁ ଅପସାରଣ କରିବା ଓ ବିକଳ୍ପ ଭାବରେ ନିଜ ଇଚ୍ଛାରେ, ମନ ଓ ମୂଲ୍ୟରେ ମଜବୁତ ଦାମ୍ପତ୍ୟ ଜୀବନ ଗଠନ କରିବା।ଅନେକ ସାମାଜିକ ସଂଗଠନ, ନାଗରିକ ମଞ୍ଚ ଓ ଉତ୍ସାହୀ ମଣିଷମାନେ ଉପସ୍ଥିତ ହୋଇ ଏହି ଉଦ୍ୟମକୁ ଶୁଭେଚ୍ଛା ଓ ଶକ୍ତି ଦେଇଥିଲେ।