ଦେବଗଡ଼, ୧୨/୪ : – ଅବକାରୀ ବିଭାଗ ତରଫରୁ ଏକ ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ଦେବଗଡ଼ ଥାନା ଅନ୍ତର୍ଗତ ଧୋବଲିପଥର ଗ୍ରାମରେ ବେଆଇନ ଭାବେ ସଂଗୃହୀତ ହେଉଥିବା ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯାଇଛି। ଏହି ଅପରାଧିକ କାର୍ଯ୍ୟରେ ବ୍ୟବହୃତ ଏକ ଗାଡ଼ିକୁ ଜବତ କରି ଚାଳକଙ୍କୁ ଗିରଫ କରାଯିବା ସୂଚନା ମିଳିଛି। ଅବକାରୀ ବିଭାଗ ପାଇଁ ଏହି ସୂଚନା ଗୋଟିଏ ବିଶ୍ୱସ୍ତ ଉତ୍ସ ମାଧ୍ୟମରେ ମିଳିଥିଲା, ଯେଉଁଥିରେ ଧୋବଲିପଥର ଅଞ୍ଚଳରେ ଅନଧିକୃତ ଭାବେ ମହୁଲ ସଂଗ୍ରହ ହେଉଥିବା ଉଲ୍ଲେଖ ମିଳିଥିଲା। ଏହି ତଥ୍ୟ ମିଳିବା ପରେ ମୋବାଇଲ ଅବକାରୀ ଇନ୍ସପେକ୍ଟର ଟେଲେସ୍ଫୋର ଲାକରା ଓ ସବ୍-ଇନ୍ସପେକ୍ଟର ଶଶିକାନ୍ତ ରାଉତ ନେତୃତ୍ୱ ଦେଇ ସଦଳବଳ ଅଭିଯାନ କରିଥିଲେ।ଅଭିଯାନ ସମୟରେ ମହୁଲ ଲଦେଇ ଯାଉଥିବା ଏକ ଗାଡ଼ି ନଂ-ଓଡି-୧୫-ଆର୍-୮୭୪୯ ପିକ୍ଅପ୍ ଭ୍ୟାନ୍କୁ ଅଟକ କରାଯାଇଥିଲା। ଚାଳକ ପାଖରେ କୌଣସି ବୈଧ ଦସ୍ତାବେଜ ନଥିବାରୁ ଗାଡ଼ି ସହ ମହୁଲ ଜବତ କରାଯିଥିଲା। ଗିରଫ ହୋଇଥିବା ଚାଳକ ଗୁଣ୍ଡିଆପାଲି ଗ୍ରାମର ଲିପୁନ ସାହୁ ବୋଲି ପରିଚୟ ମିଳିଛି। ଜବତ ମହୁଲର ଓଜନ ପ୍ରାୟ ୧୪ କ୍ୱିଣ୍ଟାଲ ବୋଲି ଅନୁମାନ କରାଯାଇଛି। ଗିରଫ ଚାଳକଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂତ୍ର ଜଣାଇଛି।