ବାଲିଗୁଡ଼ା, ୧୬ /୫ : ଅବୈଧ ମାଦକ ଦ୍ରବ୍ୟ ଚାଲାଣ ବିରୋଧରେ ଲଢ଼ୁଥିବା ପୋଲିସ ବାହିନୀ ଆଉ ଏକ ଅଭିଯାନରେ ବଡ଼ ଜୟ ପାଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳର ସିର୍ତ୍ତିଗୁଡା ପଞ୍ଚାୟତ ସମୀପରେ ଥିବା ଜଙ୍ଗୁଙ୍ଗିଆ ଜଙ୍ଗଲ ଅଞ୍ଚଳରୁ ପୋଲିସ ୩୫୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି।
ଗୁପ୍ତ ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଟିମ୍ ତତ୍କାଳ ଅଭିଯାନ ଆରମ୍ଭ କରିଥିଲା। ପୋଲିସ ଗାଡ଼ି ଦେଖି ଅଭିଯୁକ୍ତମାନେ ଜଙ୍ଗଲ ମାଝିକୁ ଚମ୍ପଟ ମାରିଥିବା ବେଳେ ରାସ୍ତା ପାଖରେ ଛାଡ଼ିଦିଆଯାଇଥିବା ୧୪ଟି ବସ୍ତା ମଧ୍ୟରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି।
ଅଭିଯାନକୁ ନେତୃତ୍ୱ ଦେଇଥିଲେ ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀ। ସହଯୋଗୀ ଦମୟନ୍ତୀ ବେହେରା, ଏଏସ୍ଆଇ ଉମାଶଙ୍କର ପେଡେଣ୍ଟି, ସୁରେନ୍ଦ୍ର ରାଜହଂସ, ଓ ମାଜିଷ୍ଟେଟ ଭାବେ ଉପସ୍ଥିତ ଥିଲେ କ.ନୂଆଗାଁ ତହସିଲଦାର ଆନନ୍ଦ କୁମାର ପଣ୍ଡା। ସେମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇଥିଲା।
ଏହି ଘଟଣା ସନ୍ଦର୍ଭରେ କ.ନୂଆଗାଁ ଥାନାରେ କେସ ନଂ ୬୭/୨୫ ଅନ୍ତର୍ଗତ ଏନ୍ଡିପିଏସ୍ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଓ ରେଡ଼ ଜାରି ରହିଛି ବୋଲି ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।