ଅତାବିରା, ୨୦ / ୪ : ବରଗଡ଼ ଜିଲା ଅତାବିରା ଥାନା ଅଧୀନ ଚକୁଳିଫାର୍ମ (ନୂଆଁ ଖଇରପାଲି) ଅଞ୍ଚଳରେ ଗତ ୮ ତାରିଖ ବିଳମ୍ବିତ ରାତିରେ ସଂଘଟିତ ଚୋରି ଘଟଣାକୁ ନେଇ ପୋଲିସ ବଡ଼ ଆଭିଯାନ ଚାଲାଇ ପରଦାଫାଶ କରିଛି। ଅପରାଧ ଜଗତର ପୁରୁଣା ଲୋକ ମାନେ ଏଥିରେ ଜଡିତ ଥିବା ଖବର ଆସିଛି।
ଅଭିଯୁକ୍ତ ଚାରିଜଣ — ବରଗଡ଼ କୁଲିବନ୍ଧ ପଡ଼ାର ରିଙ୍କୁ ଭୋଇ (୨୫), କଣ୍ଟାଟିକ୍ରା ଗ୍ରାମର ସୁଶାନ୍ତ ତାଣ୍ଡି (୩୭), ପଣ୍ଡରିପଥରର ଗଙ୍ଗା ହନୁମାନ (୨୫) ଓ ବରଗଡ଼ ଓ୍ବାର୍ଡ ନଂ ୪ ର ଜଗନ୍ନାଥ ଦାଶ (୩୭) — ଅତାବିରା ପୋଲିସଙ୍କ ଜାଲରେ ଆସିଛନ୍ତି। ସେମାନଙ୍କ ନିକଟରୁ ଜବତ ହୋଇଛି ଏକ କାର୍, ଏକ ସ୍କୁଟି, ତିନିଟି ସାମସଙ୍ଗ ଟିଭି, ଚାରିଟି ଲାପଟପ୍, ମୋବାଇଲ, ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ।ଏହି ଚୋରି ଘଟଣା ସମ୍ପର୍କରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ଯେ, ଚୋରମାନେ ଅନୁପସ୍ଥିତ ଘରର ଉପଯୋଗ ନେଇ ଆଲମିରା ଭାଙ୍ଗି ଧନସାମଗ୍ରୀ ଓ ଗହଣା ଚୋରି କରିଥିଲେ। ତଦନ୍ତ ପରେ ତିନିଜଣ ଗିରଫ ହୋଇଥିବା ବେଳେ ଚତୁର୍ଥ ଅଭିଯୁକ୍ତ ମହେଶ ଶର୍ମା ନାମକ ଅଭିଯୁକ୍ତଙ୍କ ନାମ ମଧ୍ୟ ଉଜାଗର ହୋଇଛି, ଯାହା ଉପରେ ତଦନ୍ତ ଚାଲିଛି।ଅଭିଯୁକ୍ତ ରିଙ୍କୁ ଓ ଗଙ୍ଗାଙ୍କ ବିରୋଧରେ ଏକାଧିକ ଥାନାରେ ପୂର୍ବରୁ ମଧ୍ୟ ଅନେକ ମାମଲା ଥିବା ନିର୍ଦ୍ଦେଶ ମିଳିଛି। ଗଙ୍ଗାଙ୍କ ବିରୋଧରେ ସାତଠାରୁ ଅଧିକ ଥାନାରେ ୧୭ଟି ଅପରାଧିକ ମାମଲା ଚାଲିଥିବା ଜଣାପଡ଼ିଛି। ସେପ୍ଟେମ୍ବର ୨୦୨୪ ରୁ ଫେବୃୟାରୀ ୨୦୨୫ ପର୍ଯ୍ୟନ୍ତ ଏହି ଦଳ ସମ୍ବଲପୁର ଜିଲାର ଅନେକ ଅଞ୍ଚଳରେ ସ୍କୁଲ ଠାରୁ ଟିଭି ଓ ଅନ୍ୟ ସାମଗ୍ରୀ ଚୋରି କରିଥିବା ମଧ୍ୟ ସ୍ୱୀକାର କରିଛି।
ଖବରଦାତା ସମ୍ମିଳନୀରେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ପୋଲିସ ଏ ଅଭିଯୋଗ ଉପରେ ଗଭୀର ତଦନ୍ତ ଚାଲାଇ ଅନ୍ୟ ଜଡିତ ଲିଙ୍କ୍ ଖୋଜିବାକୁ ଚେଷ୍ଟା କରୁଛି।