କେନ୍ଦୁଝର, ୭/୪ : – ନ୍ୟାୟ ମିଳିଲା ଏକ ନାବାଳିକାଙ୍କୁ। ଦେଶର ଆଇନ ଓ ନ୍ୟାୟବ୍ୟବସ୍ଥା ପୁଣିଥରେ ପ୍ରମାଣ କରିଦେଲା — ଅପରାଧୀ ଯେତେ ବଡ଼ ହେଉନାହିଁ, ବିଚାର ଅପରିହାର୍ଯ୍ୟ।କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ସୋମବାର ଗଭୀର ବିଚାର ପରେ ଏକ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରିଥିବା ଅଭିଯୋଗରେ ତେଲକୋଇ ଥାନା ଅନ୍ତର୍ଗତ ଭିମକାଣ୍ତ ଗ୍ରାମର ଅଭିମନ୍ୟୁ ପାତ୍ର (୨୩)ଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ୧,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅଦାୟ ନ କଲେ ଅଧିକ ଏକ ମାସର କାରାଦଣ୍ଡ ଭୋଗିବା ପାଇଁ ଆଦେଶ ମିଳିଛି।
ଘଟଣା ୨୦୨୨ ଜାନୁଆରୀ ୫ ତାରିଖର। ସେଦିନ ୧୬ ବର୍ଷ ବୟସ୍କା ଝିଅଟି କଲେଜକୁ ଯିବା ସମୟରେ ଅଭିମନ୍ୟୁ ପାତ୍ର ତାଙ୍କୁ ଅପହରଣ କରି ଗୋପନ ଭାବେ କଟକ ଜିଲ୍ଲା ଘଣ୍ଟିଖାଲ ଅଞ୍ଚଳର ଏକ ଭଡାଘରକୁ ନେଇ ରଖିଥିଲେ। ଝିଅ ନିଖୋଜ ହେବା ପରେ ପରିବାର ଦିନେଶ ଧରି ତାଙ୍କୁ ଖୋଜିଥିଲେ, କିନ୍ତୁ ବିଫଳ ହେଲେ। ଶେଷରେ ତେଲକୋଇ ଥାନାରେ ଅଭିଯୋଗ ଦେଉଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଝିଅକୁ ଘଣ୍ଟିଖାଲରୁ ଉଦ୍ଧାର କରି ଅଭିମନ୍ୟୁଙ୍କୁ ଗିରଫ କରିଥିଲେ।
ବିଚାର ପ୍ରକ୍ରିୟାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଉପରେ ଆଧାର କରି କୋର୍ଟ ଅଭିମନ୍ୟୁଙ୍କୁ ଦୋଷୀ ଘୋଷିତ କରି ଏହି ଶାସି ବ୍ୟବସ୍ଥା ନେଇଛନ୍ତି। ମାମଲାର ଅଭିଯୋଗ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ରନାଥ ଜେନା ଅତ୍ୟନ୍ତ ଦକ୍ଷତାର ସହିତ ମାମଲାର ପରିଚାଳନା କରିଥିଲେ।
ଏହି ନିଷ୍ପତ୍ତି ସମାଜରେ ଏକ ସୂଚନା ସ୍ୱରୂପ — ନାବାଳିକାଙ୍କୁ ଲକ୍ଷ୍ୟ କରି କୌଣସି ଅପରାଧ କଲେ ତାହାକୁ କ୍ଷମା କରାଯିବ ନାହିଁ। ନ୍ୟାୟ ହେଉଛି ଧୀର, କିନ୍ତୁ ଅବଶ୍ୟମ୍ଭାବୀ।